ଭାରତର ଆଦିବାସୀ ଓ ମୂଳନିବାସୀମାନଙ୍କ ଉପରେ ମୋଦି ସରକାର ଓ ବନ ସଂରକ୍ଷଣବାଦୀମାନଙ୍କର ପକ୍ଷରୁ ଆକ୍ରମଣ ଚାଲିଛି । ସେମାନଙ୍କର ଜୀବନ, ଜମି ଓ ସ୍ଥିତି ଆଜି ବିପନ୍ନ ।

ଜଙ୍ଗଲ ଅଧିକାର ଆଇନ୍‌କୁ ବିରୋଧ କରୁଥିବା ବନ-ସଂରକ୍ଷଣବାଦୀମାନେ କରିଥିବା ଏକ ମାମଲାରେ ୨୦୧୮ ଫେବୃଆରୀରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ୮୦ ଲକ୍ଷ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଉଚ୍ଛେଦ କରିବା ପାଇଁ ଆଦେଶ ଦେଇଥିଲେ ।

ସମାନ ସମୟରେ ନରେନ୍ଦ୍ର ମୋଦି ସରକାର ଜନବିରୋଧୀ ଜଙ୍ଗଲ ଆଇନ୍ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ଫଳରେ ବନରକ୍ଷୀମାନେ ଲୋକଙ୍କୁ ଗୁଳି କରି ଶାସ୍ତି ଦେଇ ପାରିବେ, ଯାହା କି ଜଙ୍ଗଲ ଅଧିକାର ଆଇନ୍‌ର ମୂଳ ଭିତ୍ତିକୁ ନଷ୍ଟ କରିଦେବ ।

ଭାରତର ଆଦିବାସୀମାନଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ୍ ଅତି ଗୁରୁତ୍ୱପୂର୍ଣ୍ଣ, ଯାହାକି ଜଙ୍ଗଲର ବ୍ୟବହାର, ସୁରକ୍ଷା ଓ ପରିଚାଳନା ଉପରେ ସେମାନଙ୍କର ଉଭୟ ବ୍ୟକ୍ତିଗତ ଓ ସାମୁହିକ ଅଧିକାରକୁ ସ୍ୱୀକାର କରେ ।

ଏହି ଆଇନ୍ ଭାରତର ପାରମ୍ପରିକ ଜଙ୍ଗଲବାସୀଙ୍କ ଉପରେ ହୋଇଥିବା “ଐତିହାସିକ ଅନ୍ୟାୟ”କୁ ସୁଧାରିବା ପାଇଁ କରାଯାଇଥିଲା । କିନ୍ତୁ ମୋଦି ସରକାର, ଜଙ୍ଗଲ ଅଧିକାରୀ ଓ ବନ ସଂରକ୍ଷଣବାଦୀମାନେ ଏହାକୁ କ୍ରମାଗତ ଅଣଦେଖା କରି ଆସୁଛନ୍ତି, ଯଦିଓ ଆଦିବାସୀମାନେ ସବୁଠାରୁ ବଡ ବନ ସଂରକ୍ଷକ ବୋଲି ଯଥେଷ୍ଟ ପ୍ରମାଣ ମିଳୁଛି ।

ମୋଦି ସରକାର ଜାତୀୟ ନାଗରିକ ପଞ୍ଜିକା ପାଇଁ ମଧ୍ୟ ଯୋଜନା କରୁଛି । କିନ୍ତୁ ଅନେକ ଆଦିବାସୀମାନଙ୍କ ପାଖରେ ଆବଶ୍ୟକୀୟ ପରିଚୟ ପ୍ରମାଣ କାଗଜ ପତ୍ର ନାହିଁ । ଯେଉଁମାନେ ନିଜର ନାଗରିକତ୍ୱ ପ୍ରମାଣ କରିପାରିବେ ନାହିଁ, ସେମାନଙ୍କୁ ଅଟକ ଶିବିରକୁ ପଠାଇ ଦିଆଯିବ । କିନ୍ତୁ ସେମାନେ ଯଦି ହିନ୍ଦୁ ଓ ଖ୍ରୀଷ୍ଟିଆନ (ମୁସଲମାନ ନୁହେଁ) ସମେତ ନିଦ୍ଧିଷ୍ଟ କେତେକ ଧର୍ମିୟ ସଂପ୍ରଦାୟର ହୋଇଥିବେ, ସେମାନଙ୍କ ସୁରକ୍ଷା ପାଇଁ ବିବାଦୀୟ ନାଗରିକ ସଂଶୋଧନ ଆଇନ୍ ଅଣାଯାଇଛି । ମାତ୍ର ସ୍ୱୀକୃତ ଏହି ଧର୍ମର ତାଲିକାରେ ଆଦିବାସୀଙ୍କ ବିଶ୍ୱାସକୁ ଯୋଗ କରାଯାଇ ନାହିଁ ।

“ସି.ଏ.ଏ/ଏନ୍.ଆର.ସି ର ଭୟଙ୍କର ପ୍ରଭାବ ଆଦିବାସୀମାନଙ୍କ ଉପରେ ରହିବ । ସେମାନେ ସେମାନଙ୍କର ନାଗରିକତ୍ୱ ହରାଇ ଅଟକ ଶିବିରରେ ଅଟକ ରହିବେ ଏବଂ ସେମାନଙ୍କର ଜମି ଓ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କୁ ଥଇଥାନ କରାଯିବ । ଏହା ଗ୍ରହଣୀୟ ନୁହେଁ । ଆଦିବାସୀମାନେ ଏ ଦେଶର ପ୍ରଥମ ଅଧିବାସୀ । ସେମାନେ ସି.ଏ.ଏ/ଏନ୍.ଆର.ସି ବାହାରେ ରହିବା ଆବଶ୍ୟକ ଏବଂ ସେମାନଙ୍କର ଜମି, ଅଞ୍ଚଳ ଓ ସଂପଦ ସୁରକ୍ଷିତ ରହିବା ଜରୁରୀ ।”, କୁହନ୍ତି ଆଦିବାସୀ କର୍ମୀ ଓ ଲେଖକ ଗ୍ରାଡସନ ଡୁଙ୍ଗଡୁଙ୍ଗ ।

ଆସନ୍ତୁ ଭାରତର ମୂଳନିବାସୀମାନଙ୍କ ସହ ଦୃଢ ଭାବେ ଠିଆ ହେବା ପାଇଁ ଏବଂ ସେମାନଙ୍କର ଅଧିକାର ଉପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା ପାଇଁ କାର୍ଯ୍ୟ କରିବା ।